ଆମେ ପୂର୍ବକାଳର ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଙ୍କର ସୁନାରୁପାଦିରେ ନିର୍ମିତ ଭୋଜନ ଓ ଜଳପାନ ପାତ୍ରର ବ୍ୟବହାର ସମ୍ବନ୍ଧରେ ଶୁଣିଛେ ଓ ମ୍ୟୁଜିୟମ ମାନଙ୍କରେ ମଧ୍ୟ ଦେଖିଛେ । ତେବେ ଆମେ ଏହାକୁ କେବଳ ସମ୍ଭ୍ରାନ୍ତତାର ଏକ ପରିପ୍ରକାଶ ବୋଲି ଭାବିଛେ । ଏହାର କାରଣ ହେଉଛି, ଆମେ ଜାଣିଛେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁ ସାଧାରଣତଃ ଅଳଙ୍କାରାଦି ଆଭୂଷଣ ପାଇଁ ବ୍ୟବହୃତ ହୋଇଥାଏ ଓ ଖାଦ୍ୟପାନାଦିରେ ଏହା ବଦଳରେ ସ୍ୱଳ୍ପ ମୂଲ୍ୟବାନ ପଦାର୍ଥରେ ନିର୍ମିତ ବାସନକୁସନର ବ୍ୟବହାର ମଧ୍ୟ କରାଯାଇପାରିବ ଯାହାକି ଉଭୟ ସ୍ୱାସ୍ଥ୍ୟକର ହେବାସହିତ ଦୀର୍ଘସ୍ଥାୟୀ ମଧ୍ୟ ହୋଇପାରିବ ।

ତେବେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ଯେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ତାହା ଆମମାନଙ୍କ ମଧ୍ୟରୁ ଅନେକ ଜାଣିନଥିବେ । ଆସନ୍ତୁ ଏବେ ସେ ସମ୍ପର୍କରେ ଜାଣିବା ।
ଆୟୁର୍ବେଦ ଶାସ୍ତ୍ରରେ ବିବିଧ ପଦାର୍ଥରେ ନିର୍ମିତ ଭୋଜନ ତଥା ଜଳପାନ ପାତ୍ରର ଭିନ୍ନ ଭିନ୍ନ ଗୁଣ ସମ୍ପର୍କରେ ବର୍ଣ୍ଣନା ରହିଛି । ଯଥା –
- ସୁବର୍ଣ୍ଣର ଭୋଜନ ପାତ୍ର ଦୋଷମାନଙ୍କୁ ଦୂର କରିଥାଏ ତଥା ଦୃଷ୍ଟି ବର୍ଦ୍ଧକ ଓ ପଥ୍ୟ ହୋଇଥାଏ ।
- ରୌପ୍ୟ ନିର୍ମିତ ଭୋଜନ ପାତ୍ର ନେତ୍ର ପାଇଁ ହିତକର ହୋଇଥାଏ ତଥା ଏହା ବାତ ଓ କଫ ଦୋଷକୁ ବୃଦ୍ଧି କରିବା ସହିତ ପିତ୍ତ ଦୋଷକୁ ଦୂର କରିଥାଏ ।
- କଂସାର ଭୋଜନ ପାତ୍ର ଗୁଣରେ ବୁଦ୍ଧି ବର୍ଦ୍ଧକ, ରୁଚିକାରକ ଓ ରକ୍ତପିତ୍ତ ନାଶକ ।
- ପିତ୍ତଳର ଭୋଜନ ପାତ୍ର (ରୁକ୍ଷ ଓ ଉଷ୍ଣ ଗୁଣ ହେତୁ) ଗୁଣରେ ବାତ କାରକ, କଫ ଦୋଷ ଓ କୃମି ରୋଗ ନାଶକ ।
- ଲୌହ ଓ କାନ୍ତ ଲୌହର ଭୋଜନ ପାତ୍ର ଗୁଣରେ ସିଦ୍ଧି କାରକ, ବଳ କାରକ ତଥା ଶୋଥ, ପାଣ୍ଡୁ ଏବଂ କାମଳା ରୋଗ ନାଶକ ।
- ପ୍ରସ୍ତର ଓ ମୃତ୍ତିକା ନିର୍ମିତ ଭୋଜନ ପାତ୍ରର ବ୍ୟବହାର ଶୋଭା ଦୂର କରିଥାଏ । (ଏହା ଘରୋଇ ଓ ବ୍ୟକ୍ତିଗତ ବ୍ୟବହାର ଦୃଷ୍ଟିରୁ ଅପ୍ରଶସ୍ତ ।)
- କାଷ୍ଠର ଭୋଜନ ପାତ୍ର ଗୁଣରେ ରୁଚିକାରକ ଓ କଫ କାରକ ।
- ପତ୍ରରେ ନିର୍ମିତ ଭୋଜନ ପାତ୍ର ଗୁଣରେ ରୁଚିକାରକ, ଜଠରାଗ୍ନି ଦୀପକ ତଥା ବିଷ ଏବଂ ଦାରିଦ୍ର୍ୟ ନାଶକ । (ଏହି ସବୁ ସ୍ୱାସ୍ଥ୍ୟଗତ ଉପକାରିତା ଯୋଗୁଁ ଆମେ ସମ୍ଭବତଃ ବିବିଧ ଦେବାଦେବୀଙ୍କ ପ୍ରସାଦ ସେବନ ସମୟରେ ସାଧାରଣତଃ ପତ୍ରର ଭୋଜନ ପାତ୍ର ହିଁ ବ୍ୟବହାର କରିଥାଉ ଯାହାକି ଭୋଜନରେ ରୁଚି ଉତ୍ପନ୍ନ କରିବା ସହିତ ଜଠରାଗ୍ନିକୁ ଉଦ୍ଦୀପ୍ତ କରି ଭୋଜନ ପରିପାକରେ ସାହାଯ୍ୟ କରିଥାଏ ତଥା ଭୋଜନରେ କୌଣସି ପ୍ରକାର ବିଷାକ୍ତ ତତ୍ତ୍ୱ ଥିଲେ ତାହାକୁ ମଧ୍ଯ ଦୂର କରିବାରେ ସହାୟକ ହୋଇଥାଏ । ତତ୍ସହିତ ଏହା ମଧ୍ୟ ଦରିଦ୍ରତା ଦୂର କରି ସୌଭାଗ୍ୟ ଆଣିବାରେ ସହାୟକ ହୋଇଥାଏ ।)
ଏବେ ଆସନ୍ତୁ ଆୟୁର୍ବେଦରେ ବର୍ଣ୍ଣିତ ବିବିଧ ଜଳପାନ ପାତ୍ରର ଗୁଣ ସମ୍ପର୍କରେ ଅବଗତ ହେବା ।
- ଜଳପାନ ନିମିତ୍ତ ସର୍ବଶ୍ରେଷ୍ଠ ପାତ୍ର ହେଉଛି ତାମ୍ର । ଏହା ଶରୀର ନିମନ୍ତେ ହିତକର ।
- ତାମ୍ର ଜଳପାତ୍ରର ଅଭାବରେ ମୃତ୍ତିକା ନିର୍ମିତ ଜଳପାତ୍ର ବ୍ୟବହାରଯୋଗ୍ୟ ।
- ସ୍ଫଟିକ ନିର୍ମିତ ଜଳପାତ୍ର ଗୁଣରେ ପବିତ୍ର ଓ ଶୀତଳତା ପ୍ରଦାୟକ ।
- କାଚ ତଥା ବୈଦୁର୍ଯ୍ୟ ମଣି ନିର୍ମିତ ଜଳପାତ୍ର ମଧ୍ୟ ଗୁଣରେ ପବିତ୍ର ଓ ଶୀତଳତା ପ୍ରଦାୟକ ।
ତେଣୁ ଉପରୋକ୍ତ ସୂଚନାରୁ ଆମେ ଅବଗତ ହେଲେ ଯେ ସୁନାରୁପାଦି ମୂଲ୍ୟବାନ ଧାତୁରେ ନିର୍ମିତ ବାସନକୁସନ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସର୍ବୋତ୍ତମ ହୋଇଥିବାରୁ ଏହାକୁ ପ୍ରାଚୀନକାଳରେ ରାଜାରାଜୁଡ଼ା ଓ ସମ୍ଭ୍ରାନ୍ତ ବ୍ୟକ୍ତିବିଶେଷଗଣ ବହୁଳ ଭାବରେ ବ୍ୟବହାର କରୁଥିଲେ । ତତ୍ସହିତ ସାଧାରଣ ଲୋକେ ଏହାଠାରୁ କମ ମୂଲ୍ୟବାନ ସାମଗ୍ରୀ କଂସାର ବାସନକୁସନ ବ୍ୟବହାର କରୁଥିଲେ ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ସ୍ୱର୍ଣ୍ଣରୋୖପ୍ୟାଦି ପରେ ଦ୍ୱିତୀୟ ସର୍ବୋତ୍କୃଷ୍ଟ ଥିଲା ।
ତେବେ ବର୍ତ୍ତମାନ ସମୟରେ ଆମେ ଆଲୁମିନିୟମ, ଷ୍ଟିଲ, ଚୀନା ମାଟି, ଫାଇବର ଆଦିରେ ନିର୍ମିତ ବାସନକୁସନର ବହୁଳ ବ୍ୟବହାର କରୁଛେ ଯାହାର ଗୁଣ ନିକୃଷ୍ଟ କିମ୍ବା ଅଜଣା । ତେଣୁ ଏବେ ସମୟ ଆସିଛି ଆମେ ଅତିକମରେ ସ୍ୱାସ୍ଥ୍ୟପ୍ରଦ କଂସା ଓ ତାମ୍ରର ଭୋଜନ ଓ ଜଳପାତ୍ର ଯଥାକ୍ରମେ ବ୍ୟବହାର କରିବା ପାଇଁ ତଥା ଆମର ମହାନ ପରମ୍ପରାକୁ ପୁନଃ ଉଦ୍ଜୀବିତ କରିବା ପାଇଁ ।
ଜୟ ଜଗନ୍ନାଥ ! ଜୟ ଆୟୁର୍ବେଦ !
You must be logged in to post a comment.